ଯିହୋଶୂୟଙ୍କୁ ସଦାପ୍ରଭୁଙ୍କ କର୍ତ୍ତୃତ୍ୱ ଓ ଅଧିକାର
1ସଦାପ୍ରଭୁଙ୍କ ସେବକ ମୋଶାଙ୍କର ମୃତ୍ୟୁୁ ଉତ୍ତାରେ ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟ ନାମକ ମୋଶାଙ୍କର ପରିଚାରକଙ୍କୁ କହିଲେ, 2“ଆମ୍ଭର ସେବକ ମୋଶା ମରିଅଛି, ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ। 3ଯେ ଯେ ସ୍ଥାନରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେସବୁ ସ୍ଥାନ ମୋଶା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ। 4ପ୍ରାନ୍ତର ଓ ଏହି ଲିବାନୋନଠାରୁ ମହାନଦୀ, ଅର୍ଥାତ୍, ଫରାତ୍ ନଦୀ ପର୍ଯ୍ୟନ୍ତ ହିତ୍ତୀୟମାନଙ୍କ ସମସ୍ତ ଦେଶ, ପୁଣି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। 5ତୁମ୍ଭର ଯାବଜ୍ଜୀବନ ତୁମ୍ଭ ସମ୍ମୁଖରେ କେହି ଠିଆ ହୋଇ ପାରିବ ନାହିଁ; ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେପରି ଆମ୍ଭେ ତୁମ୍ଭ ସଙ୍ଗରେ ଥିବା; ଆମ୍ଭେ ତୁମ୍ଭ ପ୍ରତି ନିରସ୍ତ ହେବା ନାହିଁ, କି ତୁମ୍ଭକୁ ତ୍ୟାଗ କରିବା ନାହିଁ। 6ତୁମ୍ଭେ ବଳବାନ ଓ ସାହସିକ ହୁଅ; କାରଣ ଏମାନଙ୍କ ପୂର୍ବପୁରୁଷଗଣ ନିକଟରେ ଯେଉଁ ଦେଶ ଦେବାକୁ ଆମ୍ଭେ ଶପଥ କରିଅଛୁ, ତାହା ତୁମ୍ଭେ ଏମାନଙ୍କୁ ଅଧିକାର କରାଇବ। 7ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ; ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ। 8ଏହି ବ୍ୟବସ୍ଥା-ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ। 9ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”


