ଅୟରେ ଇସ୍ରାଏଲର ପରାଜୟ
1ମାତ୍ର ଇସ୍ରାଏଲ-ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
2ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, “ଉଠ, ଯାଇ ଦେଶ ଅନୁସନ୍ଧାନ କର;” ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ। 3ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, “ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପମାତ୍ର।” 4ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ। 5ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।
6ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ। 7ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ! 8ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି। 9କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”


