ଆଖନ୍‍ର ପାପ

10ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ? 11ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି। 12ଏଥିଲାଗି ଇସ୍ରାଏଲ-ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁ ନାହାନ୍ତି, ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁ ଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ, ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ। 13ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ। 14ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ। 15ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”

16ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଇଲେ; ତହିଁରେ ଯିହୁଦା ବଂଶ ନିର୍ଣ୍ଣୀତ ହେଲା। 17ତହୁଁ ସେ ଯିହୁଦା ଗୋଷ୍ଠୀକୁ ନିକଟକୁ ଅଣାନ୍ତେ, ସେରହର ଗୋଷ୍ଠୀ ନିର୍ଣ୍ଣୀତ ହେଲା; ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ସବ୍‍ଦି ନିର୍ଣ୍ଣୀତ ହେଲା। 18ତହୁଁ ସେ ତାହାର ପରିବାରର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ନିର୍ଣ୍ଣୀତ ହେଲା। 19ତେବେ ଯିହୋଶୂୟ ଆଖନ୍‍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋʼ ଠାରୁ ତାହା ଲୁଚାଅ ନାହିଁ।” 20ତହିଁରେ ଆଖନ୍‍ ଉତ୍ତର କରି ଯିହୋଶୂୟଙ୍କୁ କହିଲା, “ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି। 21ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶହ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି; ଆଉ ଦେଖ, ସେସବୁ ମୋʼ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି।”

22ଏଥିରେ ଯିହୋଶୂୟ ଦୂତ ପଠାନ୍ତେ, ସେମାନେ ତମ୍ବୁକୁ ଦୌଡ଼ି ଗଲେ; ଆଉ ଦେଖ, ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି। 23ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଯିହୋଶୂୟଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଦେଲେ। 24ପୁଣି, ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନ୍‍କୁ ଓ ସେହି ରୂପା ଓ ବସ୍ତ୍ର ଓ ସୁନାମୁଣ୍ଡା ଓ ତାହାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାହାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ, ସର୍ବସ୍ୱ ନେଇ ଆଖୋର୍‍ ଉପତ୍ୟକାକୁ ଆଣିଲେ। 25ପୁଣି ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ।” ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ। 26ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍‍ ଉପତ୍ୟକା ବୋଲି ଖ୍ୟାତ ଅଛି।