ଏବଲ ପର୍ବତରେ ବ୍ୟବସ୍ଥା ପଠନ

30ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ। 31ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥା-ଗ୍ରନ୍ଥର ଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେ; ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 32ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ୱାରା ଲିଖିତ ବ୍ୟବସ୍ଥା-ଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ। 33ଏଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ। 34ତହୁଁ ବ୍ୟବସ୍ଥା-ଗ୍ରନ୍ଥର ସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ। 35ଯିହୋଶୂୟ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣର ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କ ସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋଶାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନ ଥିଲା।