ଇମୋରୀୟମାନଙ୍କ ପରାଜୟ

1ଏଥିଉତ୍ତାରେ ଯିହୋଶୂୟ ଅୟକୁ ହସ୍ତଗତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ପୁଣି ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କରିଥିଲେ, ସେରୂପ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି, ଆଉ ଗିବୀୟୋନ୍‍ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି, ଏହିସବୁ କଥା ଯିରୂଶାଲମର ରାଜା ଅଦୋନିଷେଦକ ଶୁଣନ୍ତେ, ଲୋକମାନେ ଅତିଶୟ ଭୀତ ହେଲେ। 2କାରଣ ଗିବୀୟୋନ୍‍ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା, ପୁଣି ତହିଁର ଲୋକମାନେ ବୀର ଥିଲେ। 3ଏଣୁ ଯିରୂଶାଲମର ରାଜା ଅଦୋନିଷେଦକ ହିବ୍ରୋଣର ହୋହମ୍‍ ରାଜାର ଓ ଯର୍ମୂତର କିରାମ୍‍ ରାଜାର ଓ ଲାଖୀଶ୍‍ର ଯାଫୀୟ ରାଜାର ଓ ଇଗ୍ଲୋନ୍‍ର ଦବୀର ରାଜାର ନିକଟକୁ କହି ପଠାଇଲା, 4“ମୋʼ ନିକଟକୁ ଆସି ମୋର ସାହାଯ୍ୟ କର, ଆସ, ଆମ୍ଭେମାନେ ଗିବୀୟୋନୀୟ ଲୋକମାନଙ୍କୁ ଆଘାତ କରୁ; କାରଣ ସେମାନେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସହିତ ସନ୍ଧି କରିଅଛନ୍ତି।” 5ଏନିମନ୍ତେ ଯିରୂଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍‍ର ରାଜା ଓ ଇଗ୍ଲୋନ୍‍ର ରାଜା, ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବୀୟୋନ୍‍ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ।

6ଏଥିରେ ଗିବୀୟୋନୀୟ ଲୋକମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କହି ପଠାଇଲେ, “ତୁମ୍ଭେ ଆପଣାର ଏହି ଦାସମାନଙ୍କଠାରୁ ଆପଣା ହାତ କାଢ଼ି ନ ନିଅ; ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର; କାରଣ ପର୍ବତ ନିବାସୀ ଇମୋରୀୟମାନଙ୍କ ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି।” 7ତହିଁରେ ଯିହୋଶୂୟ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲ୍‍ଗଲ୍‍ରୁ ଯାତ୍ରା କଲେ। 8ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ ନ କର; କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇ ପାରିବ ନାହିଁ।” 9ତହୁଁ ଯିହୋଶୂୟ ଅକସ୍ମାତ୍‍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; କାରଣ ସେ ଗିଲ୍‍ଗଲ୍‍ଠାରୁ ରାତ୍ରିଯାକ ଚାଲିଥିଲେ। 10ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍‍ବିଗ୍ନ କଲେ ଓ ସେ ଗିବୀୟୋନ୍‍ରେ ସେମାନଙ୍କୁ ମହାସଂହାରରେ ସଂହାର କଲେ, ପୁଣି ବେଥ୍-ହୋରଣର ଘାଟି ପଥ ଦେଇ ସେମାନଙ୍କୁ ଘଉଡ଼ାଇ ଦେଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। 11ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।

12ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ,

“ସୂର୍ଯ୍ୟ, ଗିବୀୟୋନ୍‍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍‍ର ତଳଭୂମିରେ (ସ୍ତବ୍ଧ ହୁଅ)।”

13ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ

ସୂର୍ଯ୍ୟ ସ୍ତବ୍ଧ ହେଲା

ଓ ଚନ୍ଦ୍ର ସ୍ଥଗିତ ହେଲା।

ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। 14ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।

15ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍‍ଗଲ୍‍ ଛାଉଣିକୁ ନେଉଟି ଆସିଲେ।