ପାଞ୍ଚ ଇମୋରୀୟ ରାଜାଙ୍କୁ ମୃତ୍ୟୁୁଦଣ୍ଡ

16ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ଆପଣାମାନଙ୍କୁ ଲୁଚାଇଲେ। 17ତହୁଁ “ସେହି ପାଞ୍ଚ ରାଜା ମକ୍କେଦା ଗୁମ୍ଫାରେ ଲୁଚି ରହିଅଛନ୍ତି,” ଏ କଥା ଯିହୋଶୂୟଙ୍କୁ କୁହାଯାʼନ୍ତେ, 18ଯିହୋଶୂୟ କହିଲେ, “ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର। 19ମାତ୍ର ତୁମ୍ଭେମାନେ ସ୍ଥଗିତ ହୋଇ ରୁହ ନାହିଁ; ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକମାନଙ୍କୁ ଉଚ୍ଛିନ୍ନ କର; ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” 20ଏଥିରେ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର-ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ। 21ତହୁଁ ସମସ୍ତ ଲୋକ ମକ୍କେଦା ଛାଉଣିକୁ ଯିହୋଶୂୟଙ୍କ ନିକଟକୁ କୁଶଳରେ ଫେରି ଆସିଲେ; ଇସ୍ରାଏଲ-ସନ୍ତାନଗଣର କାହାରି ପ୍ରତିକୂଳରେ କେହି ମୁଖ ଖୋଲିବା ପାଇଁ ସାହସ କଲେ ନାହିଁ।

22ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।” 23ତହିଁରେ ସେମାନେ ସେପରି କଲେ, ପୁଣି ଯିରୂଶାଲମର ରାଜାକୁ, ହିବ୍ରୋଣର ରାଜାକୁ, ଯର୍ମୂତର ରାଜାକୁ, ଲାଖୀଶ୍‍ର ରାଜାକୁ, ଇଗ୍ଲୋନ୍‍ର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ। 24ଏହିରୂପେ ସେମାନେ ସେହି ରାଜାମାନଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲା ଉତ୍ତାରେ ଯିହୋଶୂୟ ଇସ୍ରାଏଲର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, “ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ। 25ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ଭୟ ନ କର, ଅବା ନିରାଶ ନ ହୁଅ; ବଳବାନ ଓ ସାହସିକ ହୁଅ; କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ, ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ।” 26ଏଉତ୍ତାରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ; ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ। 27ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣାମାନଙ୍କୁ ଲୁଚାଇଥିଲେ, ତହିଁ ଭିତରେ ପକାଇଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଥୋଇଲେ; ତାହା ଆଜିଯାଏ ଅଛି।