ଦକ୍ଷିଣ କିଣାନ ହସ୍ତଗତ
28ଏଥିଉତ୍ତାରେ ଯିହୋଶୂୟ ସେହି ଦିନ ମକ୍କେଦା ହସ୍ତଗତ କରି ଖଡ୍ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ; ସେ ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; କାହାକୁ ଅବଶିଷ୍ଟ ରଖିଲେ ନାହିଁ; ପୁଣି ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ମକ୍କେଦା ରାଜା ପ୍ରତି କଲେ।
29ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବ୍ନାକୁ ଗଲେ ଓ ଲିବ୍ନା ପ୍ରତିକୂଳରେ ଯୁଦ୍ଧ କଲେ; 30ତହିଁରେ ସଦାପ୍ରଭୁ ତାହାକୁ, ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ; ତେଣୁ ସେ ତାହା ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ସେ ଯେପରି ଯିରୀହୋ ରାଜା ପ୍ରତି କରିଥିଲେ, ସେପରି ତହିଁର ରାଜା ପ୍ରତି କଲେ।
31ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବ୍ନାରୁ ଲାଖୀଶ୍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। 32ତହିଁରେ ସଦାପ୍ରଭୁ ଲାଖୀଶ୍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖୀଶ୍ ଆକ୍ରମଣ କରି ଯେପରି ଲିବ୍ନା ପ୍ରତି କରିଥିଲେ, ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ।
33ସେସମୟରେ ଗେଷରର ରାଜା ହୋରମ୍ ଲାଖୀଶ୍ର ସହାୟତା କରିବାକୁ ଆସିଥିଲା; ତେଣୁ ଯିହୋଶୂୟ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ।
34ତହୁଁ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖୀଶ୍ରୁ ଇଗ୍ଲୋନ୍କୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। 35ପୁଣି ସେହି ଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ୍ଗଧାରରେ ଆଘାତ କଲେ ଓ ସେ ଯେପରି ଲାଖୀଶ୍ ପ୍ରତି କରିଥିଲେ, ସେପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀଙ୍କୁ ସେହି ଦିନ ବର୍ଜିତ ରୂପେ ବିନାଶ କଲେ।
36ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନ୍ରୁ ହିବ୍ରୋଣକୁ ଗଲେ ଓ ସେମାନେ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ; 37ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ, ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କଲେ; ଯେପରି ସେ ଇଗ୍ଲୋନ୍ ପ୍ରତି କରିଥିଲେ, ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।
38ଏଥିଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବୀରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ। 39ପୁଣି, ସେ ତାହା ଓ ତହିଁର ରାଜା ଓ ତହିଁର ନଗରସବୁ ହସ୍ତଗତ କଲେ; ଆଉ ସେମାନେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ଯେପରି ସେ ହିବ୍ରୋଣ ପ୍ରତି, ମଧ୍ୟ ଲିବ୍ନା ଓ ତହିଁର ରାଜା ପ୍ରତି କରିଥିଲେ, ସେପରି ସେ ଦବୀର ଓ ତହିଁର ରାଜା ପ୍ରତି କଲେ।
40ଏହିରୂପେ ଯିହୋଶୂୟ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ ଓ ତଳଭୂମି ଓ ଅଧିତ୍ୟକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ; ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ; ମାତ୍ର ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ନିଃଶ୍ୱାସପ୍ରଶ୍ୱାସଧାରୀ ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ। 41ପୁଣି ଯିହୋଶୂୟ କାଦେଶ-ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବୀୟୋନ୍ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ। 42ପୁଣି ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣକୁ ଏକାବେଳେ ହସ୍ତଗତ କଲେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। 43ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲ୍ଗଲ୍ ଛାଉଣିକୁ ଫେରି ଆସିଲେ।


