ମୋଶାଙ୍କ ଦ୍ୱାରା ପରାଜିତ ରାଜାଗଣ

1ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।

2ହିଷ୍‍ବୋନ ନିବାସୀ ଇମୋରୀୟମାନଙ୍କ ସୀହୋନ ରାଜା, ସେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ-ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍‍ ନଦୀ ପର୍ଯ୍ୟନ୍ତ

3ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।

4ପୁଣି ବାଶନୀୟ ଓଗ୍‍ ରାଜାର ଅଞ୍ଚଳ (ଅଧିକାର କଲେ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍‍ ଓ ଇଦ୍ରିୟୀରେ ବାସ କଲା, 5ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍‍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।

6ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।