ଯିହୋଶୂୟଙ୍କର ଦାୟିତ୍ୱ ଗ୍ରହଣ

10ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ, 11“ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ପାଥେୟ ସାମଗ୍ରୀ ପ୍ରସ୍ତୁତ କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତିନି ଦିନ ମଧ୍ୟରେ ତୁମ୍ଭମାନଙ୍କୁ ଏହି ଯର୍ଦ୍ଦନ ପାର ହୋଇ ଯିବାକୁ ହେବ।’”

12ଆଉ ଯିହୋଶୂୟ ରୁବେନୀୟମାନଙ୍କୁ ଓ ଗାଦୀୟମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ କହିଲେ, 13“ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ବିଶ୍ରାମ ପ୍ରଦାନ କରି ଏହି ଦେଶ ଦେବେ, ଏହା କହି ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ କଥା ଆଜ୍ଞା ଦେଇଥିଲେ, ତାହା ସ୍ମରଣ କର। 14ମୋଶା ଯର୍ଦ୍ଦନର ପୂର୍ବପାରିରେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାରେ ତୁମ୍ଭମାନଙ୍କର ସ୍ତ୍ରୀଲୋକ ଓ ବାଳକ ଓ ପଶୁମାନେ ରହିବେ; ମାତ୍ର ତୁମ୍ଭେମାନେ, ତୁମ୍ଭମାନଙ୍କ ମହାବିକ୍ରମଶାଳୀ ଲୋକମାନେ, ସସଜ୍ଜ ହୋଇ ଆପଣା ଭାଇମାନଙ୍କ ଆଗେ ଆଗେ ପାର ହୋଇଯିବ, 15ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ଯେପରି ବିଶ୍ରାମ ଦେଇଅଛନ୍ତି, ସେପରି ତୁମ୍ଭମାନଙ୍କ ଭାଇମାନଙ୍କୁ ବିଶ୍ରାମ ଦେବା ଯାଏ, ମଧ୍ୟ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛନ୍ତି, ତାହା ସେମାନେ ଅଧିକାର କରିବା ଯାଏ ତୁମ୍ଭେମାନେ ସେମାନଙ୍କର ଉପକାର କରିବ; ତହିଁ ଉତ୍ତାରେ ଯର୍ଦ୍ଦନର ପୂର୍ବପାରିରେ ସୂର୍ଯ୍ୟୋଦୟ ଦିଗରେ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ସେହି ଅଧିକୃତ ଦେଶକୁ ଫେରିଆସି ତାହା ଅଧିକାର କରିବ।” 16ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର ଦେଇ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରିଅଛ, ତାହାସବୁ ଆମ୍ଭେମାନେ କରିବୁ ଓ ତୁମ୍ଭେ ଆମ୍ଭମାନଙ୍କୁ ଯେକୌଣସି ସ୍ଥାନକୁ ପଠାଇବ; ଆମ୍ଭେମାନେ ସେସ୍ଥାନକୁ ଯିବୁ। 17ଆମ୍ଭେମାନେ ସବୁ ବିଷୟରେ ଯେପରି ମୋଶାଙ୍କର କଥା ଶୁଣୁଥିଲୁ, ସେପରି ଆମ୍ଭେମାନେ ତୁମ୍ଭ କଥା ଶୁଣିବୁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେପରି ମୋଶାଙ୍କ ସଙ୍ଗରେ ଥିଲେ, ସେପରି ସେ ତୁମ୍ଭ ସଙ୍ଗରେ ହେଉନ୍ତୁ। 18ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ଡ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।”