ଅଧିକାର ନିମନ୍ତେ ଅବଶିଷ୍ଟ ଅଞ୍ଚଳ

1ଏହି ସମୟରେ ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ; ପୁଣି ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ଓ ଗତବୟସ୍କ ହେଲ; ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି। 2ସେହି ଅବଶିଷ୍ଟ ଦେଶ ଏହି; ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ଡଳ ଓ ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ; 3ଅର୍ଥାତ୍‍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାଥୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ; 4ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା। 5ପୁଣି ଗିବ୍ଲୀୟମାନଙ୍କ ଦେଶ ଓ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍‍ଗାଦ୍‍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ଥ ସମସ୍ତ ଲିବାନୋନ। 6ଲିବାନୋନଠାରୁ ମିଷ୍ରଫୋତ୍‍-ମୟିମ୍‍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସୀଦୋନୀୟମାନଙ୍କ ଦେଶ; ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା; ତୁମ୍ଭେ ଆମ୍ଭ ଆଜ୍ଞାନୁସାରେ ତାହା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ। 7ଏନିମନ୍ତେ ଏବେ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଏହି ଦେଶ ବିଭାଗ କରିଦିଅ।”