ଯର୍ଦ୍ଦନର ପୂର୍ବ ପାର୍ଶ୍ୱସ୍ଥ ଅଧିକାର
8ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଯର୍ଦ୍ଦନର ପୂର୍ବପାରିରେ ମୋଶାଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ, 9ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି, 10ଆଉ ଅମ୍ମୋନ-ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିଷ୍ବୋନରେ କର୍ତ୍ତୃତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମସ୍ତ ନଗର; 11ପୁଣି ଗିଲୀୟଦ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ, 12ଅର୍ଥାତ୍, ଅଷ୍ଟାରୋତ୍ରେ ଓ ଇଦ୍ରିୟୀରେ ରାଜତ୍ୱକାରୀ ରଫାୟୀୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାଶନ ରାଜ୍ୟ ଦେଇଥିଲା; କାରଣ ମୋଶା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ। 13ତଥାପି ଇସ୍ରାଏଲ-ସନ୍ତାନଗଣ ଗଶୂରୀୟମାନଙ୍କୁ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ; ସେହି ଗଶୂରୀୟ ଓ ମାଖାଥୀୟମାନେ ଆଜିଯାଏ ଇସ୍ରାଏଲ ମଧ୍ୟରେ ବାସ କରୁଅଛନ୍ତି। 14କେବଳ ଲେବୀ ବଂଶକୁ ମୋଶା କିଛି ଅଧିକାର ଦେଲେ ନାହିଁ; କାରଣ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ସେମାନଙ୍କର ଅଧିକାର ହେଲା, ଯେପରି ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
15ପୁଣି ମୋଶା ରୁବେନ୍ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ। 16ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେମାନଙ୍କର ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି; 17ହିଷ୍ବୋନ ଓ ସମଭୂମିସ୍ଥିତ ଦୀବୋନ୍ ଓ ବାମତ୍ବାଲ ଓ ବେଥ୍-ବାଲ-ମିୟୋନ, 18ଯହସ ଓ କଦେମୋତ୍ ଓ ମେଫାତ୍ 19ଓ କିରୀୟାଥୟିମ୍ ଓ ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ୍ ସହର 20ଓ ବେଥ୍-ପିୟୋର ଓ ଅସଦୋତ୍-ପିସ୍ଗା ଓ ବେଥ୍-ଯିଶିମୋତ, ତହିଁର ଏହି ସମସ୍ତ ନଗର। 21ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିଷ୍ବୋନରେ ରାଜତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୋଶା ତାହାକୁ ଓ ସେହି ଦେଶ ନିବାସୀ ମିଦୀୟନର ପ୍ରଧାନବର୍ଗ ଇବି ଓ ରେକମ୍ ଓ ସୂର୍ ଓ ହୂର ଓ ରେବା ନାମକ ସୀହୋନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ। 22ଇସ୍ରାଏଲ-ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍କୁ ମଧ୍ୟ ବଧ କରିଥିଲେ। 23ଆଉ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍-ସନ୍ତାନଗଣର ସୀମା ଥିଲା, ରୁବେନ୍-ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
24ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନକୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ। 25ଯାସେର ଓ ଗିଲୀୟଦର ସମସ୍ତ ନଗର ଓ ରବ୍ବାର ସମ୍ମୁଖସ୍ଥ ଅରୋୟେର ପର୍ଯ୍ୟନ୍ତ ଅମ୍ମୋନ-ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା। 26ପୁଣି ହିଷ୍ବୋନଠାରୁ ରାମତ୍-ମିସ୍ପେ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟିମଠାରୁ ଦବୀର ସୀମା ପର୍ଯ୍ୟନ୍ତ 27ଓ ତଳଭୂମିରେ ବେଥ୍-ହାରମ୍ ଓ ବେଥ୍-ନିମ୍ରା ଓ ସୁକ୍କୋତ ଓ ସାଫୋନ୍ ଓ ହିଷ୍ବୋନସ୍ଥ ସୀହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଯର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଯର୍ଦ୍ଦନ ଓ ତହିଁର ଅଞ୍ଚଳ। 28ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
29ଆଉ ମୋଶା ମନଃଶିର ଅର୍ଦ୍ଧ ବଂଶକୁ ଅଧିକାର ଦେଲେ; ମନଃଶି-ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କ ଅର୍ଦ୍ଧ ବଂଶର ହେଲା। 30ସେମାନଙ୍କର ସୀମା ମହନୟିମଠାରୁ ସମସ୍ତ ବାଶନ ଦେଶ, ବାଶନର ରାଜା ଓଗ୍ର ସମସ୍ତ ରାଜ୍ୟ ଓ ବାଶନର ଅନ୍ତର୍ଗତ ଯାୟୀରର ସମସ୍ତ ଉପନଗର, ଏରୂପେ ଷାଠିଏ ନଗର 31ପୁଣି ଅର୍ଦ୍ଧ ଗିଲୀୟଦ ଓ ଅଷ୍ଟାରୋତ୍ ଓ ଇଦ୍ରିୟୀ, ଓଗ୍ର ବାଶନ ରାଜ୍ୟସ୍ଥିତ ଏହି ଏହି ନଗର ମନଃଶିର ପୁତ୍ର ମାଖୀର-ସନ୍ତାନଗଣର ବଂଶାନୁସାରେ ମାଖୀର-ସନ୍ତାନଗଣର ଅର୍ଦ୍ଧ ବଂଶର ହେଲା।
32ଯର୍ଦ୍ଦନ-ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ-ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରିଦେଲେ। 33ମାତ୍ର ମୋଶା ଲେବୀ ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।


