ଯର୍ଦ୍ଦନର ପଶ୍ଚିମ ପାର୍ଶ୍ୱସ୍ଥ ଅଧିକାର
1କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣ ଏହିସବୁ ଅଧିକାର ପାଇଲେ, ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣର ପିତୃବଂଶୀୟ ପ୍ରଧାନବର୍ଗ, 2ଯେପରି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ତାହା ନଅ ବଂଶକୁ ଓ ଅର୍ଦ୍ଧ ବଂଶକୁ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିଦେଲେ। 3କାରଣ ମୋଶା ଯର୍ଦ୍ଦନ-ପୂର୍ବପାରିରେ ଦୁଇ ବଂଶ ଓ ଅର୍ଦ୍ଧ ବଂଶକୁ ଅଧିକାର ଦେଇଥିଲେ; ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ କୌଣସି ଅଧିକାର ଦେଲେ ନାହିଁ। 4ଯୋଷେଫର ସନ୍ତାନଗଣ ମନଃଶି ଓ ଇଫ୍ରୟିମ ଦୁଇ ବଂଶ ଥିଲେ। ପୁଣି ସେମାନେ ଲେବୀୟମାନଙ୍କୁ କେତେକ ବସତି-ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳିଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ। 5ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କରି ଦେଶ ବିଭାଗ କଲେ।


