ଇଫ୍ରୟିମ ଓ ମନଃଶିଙ୍କ ବାଣ୍ଟ

1ପୂର୍ବଦିଗସ୍ଥିତ ଯିରୀହୋର ଜଳ ନିକଟବର୍ତ୍ତୀ ଯିରୀହୋ ସନ୍ନିକଟ ଯର୍ଦ୍ଦନ ଅବଧି ଯିରୀହୋଠାରୁ ପର୍ବତମୟ ଦେଶ ଦେଇ ବେଥେଲ୍‍କୁ ଉର୍ଦ୍ଧ୍ବଗାମୀ ପ୍ରାନ୍ତର ଯୋଷେଫ-ସନ୍ତାନମାନଙ୍କ ବାଣ୍ଟ ହେଲା। 2ତହୁଁ ସେ ସୀମା ବେଥେଲ୍‍ଠାରୁ ଲୂସ୍‍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରୋତ୍‍କୁ ଗଲା; 3ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବେଥ୍-ହୋରଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। 4ଏହିରୂପେ ଯୋଷେଫର ସନ୍ତାନ ମନଃଶି ଓ ଇଫ୍ରୟିମ ଆପଣା ଆପଣା ଅଧିକାର ଗ୍ରହଣ କଲେ।

5ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବ ଦିଗରେ ଉଚ୍ଚତର ବେଥ୍-ହୋରଣ ପର୍ଯ୍ୟନ୍ତ ଅଟାରୋତ୍‍-ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା। 6ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍‍ମଥତ୍‍ ଉତ୍ତରରେ ବାହାରିଗଲା; ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍‍ଶୀଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବ ଦିଗରେ ଯାନୋହକୁ ଗଲା। 7ପୁଣି ଯାନୋହଠାରୁ ଅଟାରୋତ୍‍ ଓ ନାରା ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା। 8ତହୁଁ ସେ ସୀମା ତପୂହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର। 9ଏହାଛଡ଼ା ମନଃଶି-ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ-ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା। 10ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।

1ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା। 2ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରୀୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ। 3ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍ଲା ଓ ମିଲ୍କା ଓ ତିର୍ସା। 4ଏମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କ ଭ୍ରାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ; ଏହେତୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସେମାନଙ୍କ ପିତାର ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ। 5ଏଣୁ ଯର୍ଦ୍ଦନର ସେପାରିସ୍ଥ ଗିଲୀୟଦ ଓ ବାଶନ ଛଡ଼ା ମନଃଶିର ବାଣ୍ଟରେ ଦଶ ଅଂଶ ପଡ଼ିଲା। 6କାରଣ ମନଃଶିର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ; ପୁଣି ଗିଲୀୟଦ ଦେଶ ମନଃଶିର ଅବଶିଷ୍ଟ ପୁତ୍ରମାନଙ୍କର ହେଲା।

7ମନଃଶିର ସୀମା ଆଶେରଠାରୁ ଶିଖିମ ସମ୍ମୁଖସ୍ଥିତ ମିକ୍‍ମଥତ୍‍ ପର୍ଯ୍ୟନ୍ତ ଥିଲା; ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଐନ୍‍-ତପୂହ ନିବାସୀମାନଙ୍କ ନିକଟ ପର୍ଯ୍ୟନ୍ତ ଗଲା। 8ତପୂହ ଦେଶ ମନଃଶିର ହେଲା; ମାତ୍ର ମନଃଶିର ସୀମାନ୍ତର୍ଗତ ତପୂହନଗର ଇଫ୍ରୟିମ-ସନ୍ତାନଗଣର ହେଲା। 9ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା; ମନଃଶିର ସକଳ ନଗର ମଧ୍ୟରେ ଏହିସବୁ ନଗର ଇଫ୍ରୟିମର ଥିଲା, ମନଃଶିର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା। 10ଦକ୍ଷିଣ ଦିଗ ଇଫ୍ରୟିମର ଓ ଉତ୍ତର ଦିଗ ମନଃଶିର ଥିଲା ଓ ସମୁଦ୍ର ତାହାର ସୀମା ଥିଲା; ପୁଣି ତାହା ଉତ୍ତର ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇଷାଖର ପର୍ଯ୍ୟନ୍ତ ଗଲା। 11ପୁଣି ଇଷାଖର ଓ ଆଶେର ମଧ୍ୟରେ ବେଥ୍-ଶାନ ଓ ତହିଁର ଉପନଗର, ଯିବ୍ଲିୟିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍‍-ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ୍‍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲା। 12ତଥାପି ମନଃଶିର ସନ୍ତାନଗଣ ସେହି ସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। 13ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।