ଇଫ୍ରୟିମ ଓ ମନଃଶିର ଅଧିକ ଅଞ୍ଚଳ ଦାବୀ

14ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।” 15ତହିଁରେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେ ଯେବେ ବହୁଗୋଷ୍ଠୀ ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରୟିମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ; ଆଉ ସେଠାରେ ପରିଷୀୟ ଓ ରଫାୟୀୟମାନଙ୍କ ଦେଶରେ ଆପଣା ପାଇଁ ବନ କାଟ।” 16ତହିଁରେ ଯୋଷେଫର ସନ୍ତାନଗଣ କହିଲେ, “ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, ପୁଣି ତଳଭୂମିରେ ବିଶେଷତଃ ବେଥ୍-ଶାନରେ ଓ ତହିଁର ଉପନଗରମାନରେ ଓ ଯିଷ୍ରିୟେଲର ତଳଭୂମିରେ ଯେସବୁ କିଣାନୀୟ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି।” 17ତହିଁରେ ଯିହୋଶୂୟ ଯୋଷେଫଙ୍କର ବଂଶ ଇଫ୍ରୟିମ ଓ ମନଃଶିକୁ କହିଲେ, “ତୁମ୍ଭେ ବହୁଗୋଷ୍ଠୀ ଓ ତୁମ୍ଭର ମହାପରାକ୍ରମ ଅଛି; ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। 18ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ; ପୁଣି ତାହା ବନ ହେଲେ ହେଁ ତୁମ୍ଭେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ; କାରଣ କିଣାନୀୟମାନଙ୍କ ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ।”