ଅବଶିଷ୍ଟାଂଶ ଅଞ୍ଚଳର ବଣ୍ଟନ
1ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ବୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା। 2ସେସମୟରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଅଧିକାର-ଅପ୍ରାପ୍ତ ସାତ ବଂଶ ଅବଶିଷ୍ଟ ଥିଲେ। 3ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ?” 4ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ। 5ପୁଣି ସେମାନେ ତାହା ସାତ ଭାଗରେ ବିଭାଗ କରିବେ; ଦକ୍ଷିଣ ଦିଗରେ ଆପଣା ସୀମାରେ ଯିହୁଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଯୋଷେଫ-ବଂଶ ରହିବେ। 6ଏହିରୂପେ ତୁମ୍ଭେମାନେ ଦେଶକୁ ସାତ ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ; ତହିଁରେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। 7କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍ ଓ ରୁବେନ୍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି।
8ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା।” 9ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ନଳାକାର ପୁସ୍ତକରେ ଲେଖିଲେ; ତହୁଁ ଶୀଲୋସ୍ଥିତ ଛାଉଣିକୁ ଯିହୋଶୂୟଙ୍କର ନିକଟକୁ ଫେରି ଆସିଲେ। 10ଏଥିରେ ଯିହୋଶୂୟ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ; ପୁଣି ଯିହୋଶୂୟ ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିଭାଗାନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ।


