ବିନ୍ୟାମୀନ୍‍ର ଅଧିକାର

11ତହୁଁ ବିନ୍ୟାମୀନ୍-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଯିହୁଦା-ସନ୍ତାନଗଣର ଓ ଯୋଷେଫ-ସନ୍ତାନଗଣର ମଧ୍ୟରେ ହେଲା। 12ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର ପାର୍ଶ୍ୱ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବେଥ୍-ଆବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା। 13ସେଠାରୁ ସେ ସୀମା ଲୂସ୍‍କୁ ବା ଦକ୍ଷିଣ ଆଡ଼େ ଲୂସ୍‍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା, (ଏହାକୁ ବେଥେଲ୍‍ କହନ୍ତି); ପୁଣି ନୀଚସ୍ଥ ବେଥ୍-ହୋରଣର ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରୋତ୍‍-ଅଦ୍ଦର ଆଡ଼କୁ ଗଡ଼ିଗଲା। 14ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବେଥ୍-ହୋରଣ ଦକ୍ଷିଣସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯାଇ ଯିହୁଦା-ସନ୍ତାନଗଣର କିରୀୟଥ୍‍-ବାଲବା କିରୀୟଥ୍‍-ଯିୟାରୀମ୍‍ ନାମକ ନଗର ପର୍ଯ୍ୟନ୍ତ ଗଲା; ଏ ପଶ୍ଚିମ ସୀମା। 15ପୁଣି ଦକ୍ଷିଣ ସୀମା କିରୀୟଥ୍‍-ଯିୟାରୀମ୍‍ର ପ୍ରାନ୍ତରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଗଲା। 16ଆଉ ସେହି ସୀମା ରଫାୟୀମ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା ଓ ହିନ୍ନୋମ ଉପତ୍ୟକା ଦେଇ ଯିବୂଷର ଦକ୍ଷିଣ ପାର୍ଶ୍ୱକୁ ଗଡ଼ିଆସି ଐନ୍‍-ରୋଗେଲକୁ ଗଲା। 17ପୁଣି ଉତ୍ତର ଦିଗରେ ଫେରି ଐନ୍‍-ଶେମଶ୍‍ ନିକଟରେ ଗଲା ଓ ଅଦୁମ୍ମୀମ୍‍ ଘାଟି ସମ୍ମୁଖସ୍ଥ ଗଲୀଲୋତ ଆଡ଼କୁ ଯାଇ ରୁବେନ୍‍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା। 18ପୁଣି ଉତ୍ତର ଦିଗରେ ପଦାଭୂମିର ସମ୍ମୁଖ ପାର୍ଶ୍ୱ ଦେଇ ପଦାଭୂମିକୁ ଗଡ଼ିଗଲା 19ଓ ସେହି ସୀମା ବେଥ୍-ହୋଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତ ଥିଲା, ଏ ଦକ୍ଷିଣ ସୀମା। 20ପୂର୍ବ ଦିଗରେ ଯର୍ଦ୍ଦନ ତହିଁର ସୀମା ଥିଲା; ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ଏହି ଅଧିକାର ଥିଲା।

21ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ବଂଶର ନଗର ଯିରୀହୋ ଓ ବେଥ୍-ହୋଗ୍ଲା ଓ ଏମକ୍‍-କତ୍‍ଶିସ୍‍ 22ଓ ବେଥ୍-ଅରାବା ଓ ସୀମାରୟମ୍‍ ଓ ବେଥେଲ୍‍ 23ଓ ଅବ୍ବୀମ୍‍ ଓ ପାରା ଓ ଅଫ୍ରା, 24କଫରମ୍ମୋନି ଓ ଅଫନି ଓ ଗେବା; ଗ୍ରାମ ସମେତ ବାର ନଗର। 25ଗିବୀୟୋନ୍‍ ଓ ରାମା ଓ ବେରୋତ 26ଓ ମିସ୍ପେ ଓ କଫୀରା ଓ ମୋତ୍ସା 27ଓ ରେକମ ଓ ଯିର୍ପେଲ ଓ ତରଲା 28ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍‍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।