ନପ୍ତାଲିର ଅଧିକାର

32ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା। 33ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା। 34ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍‍ନୋତ୍‍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍‍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା। 35ପୁଣି ସବୀମ ଓ ସେର ଓ ହମ୍ମତ୍‍, ରକ୍କତ୍‍ ଓ କିନ୍ନେରତ୍‍ 36ଓ ଆଦାମା ଓ ରାମା ଓ ହାସୋର 37ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର 38ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର। 39ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।