ପୂର୍ବାଞ୍ଚଳର ଗୋଷ୍ଠୀଙ୍କ ଗୃହ ପ୍ରତ୍ୟାବର୍ତ୍ତନ

1ଏଥିଉତ୍ତାରେ ଯିହୋଶୂୟ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଡାକି ସେମାନଙ୍କୁ କହିଲେ, 2“ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେ ସବୁ ତୁମ୍ଭେମାନେ ପାଳନ କରିଅଛ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଅଛୁ, ସେସବୁରେ ତୁମ୍ଭେମାନେ ଆମ୍ଭ ରବ ଶୁଣିଅଛ; 3ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ। 4ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ। 5ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।” 6ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ କଲେ, ତହିଁରେ ସେମାନେ ଆପଣା ଆପଣା ତମ୍ବୁକୁ ପ୍ରସ୍ଥାନ କଲେ।

7ମୋଶା ମନଃଶିର ଅର୍ଦ୍ଧ ବଂଶକୁ ବାଶନରେ ଅଧିକାର ଦେଇଥିଲେ; ମାତ୍ର ଅନ୍ୟ ଅର୍ଦ୍ଧ ବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ଅଧିକାର ଦେଲେ। ଆହୁରି ସେମାନଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ, 8“ତୁମ୍ଭେମାନେ ପ୍ରଚୁର ସମ୍ପତ୍ତି ଓ ପଲ ପଲ ପଶୁ, ରୂପା, ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ; ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ବିଭାଗ କର।”

9ତହିଁରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଶୀଲୋଠାରେ ଇସ୍ରାଏଲ-ସନ୍ତାନଗଣ ନିକଟରୁ ବିଦାୟ ନେଇ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଦତ୍ତ ଆଜ୍ଞାନୁସାରେ ସେମାନେ ଯହିଁର ଅଧିକାରୀ ହୋଇଥିଲେ, ଆପଣାମାନଙ୍କ ସେହି ଅଧିକୃତ ଗିଲୀୟଦ ଦେଶକୁ ଫେରିଗଲେ।