ପୂର୍ବାଞ୍ଚଳ ଗୋଷ୍ଠୀଙ୍କ ସାକ୍ଷ୍ୟର ବେଦି

10ପୁଣି ଯେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଯର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଯର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ, ସେହି ବେଦି ଦେଖିବାକୁ ବଡ଼। 11ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଏହି କଥା ଶୁଣିଲେ, ଦେଖ, ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲ ସନ୍ତାନମାନଙ୍କ ଅଧିକୃତ ପାର୍ଶ୍ୱରେ ଯର୍ଦ୍ଦନ ସୀମାନ୍ତର୍ଗତ କିଣାନ ଦେଶ ଆଗରେ ଏକ ଯଜ୍ଞବେଦି ନିର୍ମାଣ କରିଅଛନ୍ତି। 12ତହୁଁ ଇସ୍ରାଏଲ-ସନ୍ତାନଗଣ ଯେତେବେଳେ ଏହି କଥା ଶୁଣିଲେ, ସେତେବେଳେ ସେମାନଙ୍କ ପ୍ରତିକୂଳରେ ଯୁଦ୍ଧକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ସମଗ୍ର ମଣ୍ଡଳୀ ଶୀଲୋରେ ଏକତ୍ରିତ ହେଲେ।

13ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଇଲୀୟାସର ଯାଜକର ପୁତ୍ର ପୀନହସ୍‍କୁ 14ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ଏକ ପିତୃଗୃହାଧିପତି, ଏରୂପେ ଦଶ ଅଧିପତି ଗିଲୀୟଦ ଦେଶକୁ ପଠାଇଲେ, ସେମାନେ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ। 15ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ, 16“ସଦାପ୍ରଭୁଙ୍କ ସମଗ୍ର ମଣ୍ଡଳୀ ଏରୂପ କହନ୍ତି, ‘ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେବା ନିମନ୍ତେ ଆପଣାମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରି ତୁମ୍ଭେମାନେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହୋଇ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ଏହି ଯେ ସତ୍ୟ-ଲଙ୍ଘନ କରିଅଛ, ଏ କʼଣ? 17ପିୟୋର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣାମାନଙ୍କୁ ପରିଷ୍କୃତ କରିପାରି ନାହୁଁ, ଏହା କି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ, 18ଯେ ଆଜି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହେଉଅଛ? ତୁମ୍ଭେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ, ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ। 19ଯେବେ ତୁମ୍ଭମାନଙ୍କ ଅଧିକାର-ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କ ସେହି ଅଧିକାର-ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର; ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କିଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ। 20ସେରହର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”

21ତହିଁରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ, 22“ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର; 23ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦି ଉପରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦେଉନ୍ତୁ; 24ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି। 25କାରଣ ହେ ରୁବେନ୍‍-ସନ୍ତାନଗଣ, ହେ ଗାଦ୍‍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ; 26ଏହେତୁ ଆମ୍ଭେମାନେ କହିଲୁ, ‘ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍‍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ, 27ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରି ପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ; ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ, ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହି ପାରିବେ ନାହିଁ।’ 28ଆହୁରି ଆମ୍ଭେମାନେ କହିଲୁ, ‘ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।’ 29ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଆବାସ-ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦି ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ, କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ।”

30ସେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍‍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ। 31ପୁଣି ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ରୁବେନ୍‍-ସନ୍ତାନଗଣକୁ ଓ ଗାଦ୍‍-ସନ୍ତାନଗଣକୁ ଓ ମନଃଶି-ସନ୍ତାନଗଣକୁ କହିଲା, “ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ କରି ନାହଁ; ଏବେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ।” 32ତହୁଁ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ଓ ଅଧିପତିମାନେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ନିକଟରୁ ଗିଲୀୟଦ ଦେଶରୁ ବାହାରି କିଣାନ ଦେଶକୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଫେରିଯାଇ ସେମାନଙ୍କୁ ସମ୍ବାଦ ଦେଲେ। 33ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍‍-ସନ୍ତାନଗଣର ଓ ଗାଦ୍‍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ। 34ଏଉତ୍ତାରେ ରୁବେନ୍‍-ସନ୍ତାନମାନେ ଓ ଗାଦ୍‍-ସନ୍ତାନମାନେ ସେହି ବେଦିର ନାମ ଏଦ୍‍ ରଖିଲେ, କାରଣ ସେମାନେ କହିଲେ, “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧ୍ୟରେ ଏଥିର ସାକ୍ଷୀ ଏହି।”