ଶିଖିମରେ ଚୁକ୍ତିର ନୂତନୀକରଣ

1ଏଥିଉତ୍ତାରେ ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ। 2ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ପୂର୍ବକାଳରେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତାମାନଙ୍କର ସେବା କରୁଥିଲେ; 3ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମଙ୍କୁ ସେହି ନଦୀ ସେପାରିରୁ ନେଇ କିଣାନ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁପ୍ରଜ କଲୁ ଓ ତାହାକୁ ଇସ୍‌ହାକ ଦେଲୁ। 4ଆଉ ଆମ୍ଭେ ଇସ୍‌ହାକକୁ ଯାକୁବ ଓ ଏଷୌ ଦେଲୁ; ପୁଣି ଆମ୍ଭେ ଅଧିକାରାର୍ଥେ ଏଷୌକୁ ସେୟୀର ପର୍ବତ ଦେଲୁ; ଆଉ ଯାକୁବ ଓ ତାହାର ସନ୍ତାନମାନେ ମିସରକୁ ଗଲେ। 5ଏଉତ୍ତାରେ ଆମ୍ଭେ ମୋଶା ଓ ହାରୋଣକୁ ପଠାଇଲୁ ଓ ମିସର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ, ତଦ୍ଦ୍ୱାରା ତାହାକୁ ଦଣ୍ଡ ଦେଲୁ; ତହିଁ ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କୁ ବାହାର କରି ଆଣିଲୁ। 6ପୁଣି ଆମ୍ଭେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିଲୁ; ତହୁଁ ତୁମ୍ଭେମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ; ସେତେବେଳେ ମିସରୀୟମାନେ ରଥ ଓ ଅଶ୍ୱାରୂଢ଼ ସୈନ୍ୟ ନେଇ ସୂଫ ସାଗର ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇଲେ। 7ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ। 8ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଯର୍ଦ୍ଦନ ସେପାରିରେ ବାସକାରୀ ଇମୋରୀୟମାନଙ୍କ ଦେଶକୁ ଆଣିଲୁ; ପୁଣି ସେମାନେ ତୁମ୍ଭମାନଙ୍କ ସଙ୍ଗେ ଯୁଦ୍ଧ କଲେ; ତହିଁରେ ଆମ୍ଭେ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କଲୁ ଓ ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କଲ; ଏହିରୂପେ ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବିନାଶ କଲୁ। 9ତେବେ ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମ୍‍କୁ ଡକାଇଲା। 10ମାତ୍ର ଆମ୍ଭେ ବିଲୀୟମ୍‍ର କଥା ଶୁଣିବାକୁ ଅସମ୍ମତ ହେଲୁ; ତହିଁରେ ସେ ତୁମ୍ଭମାନଙ୍କୁ କେବଳ ଆଶୀର୍ବାଦ କଲା; ଏରୂପେ ଆମ୍ଭେ ତାହା ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କଲୁ। 11ଏଉତ୍ତାରେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯିରୀହୋରେ ଉପସ୍ଥିତ ହେଲ; ତହିଁରେ ଯିରୀହୋ ନିବାସୀମାନେ, ପୁଣି ଇମୋରୀୟ ଓ ପରିଷୀୟ ଓ କିଣାନୀୟ ଓ ହିତ୍ତୀୟ ଓ ଗିର୍ଗାଶୀୟ ଓ ହିବ୍ବୀୟ ଓ ଯିବୂଷୀୟମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ଯୁଦ୍ଧ କରନ୍ତେ, ଆମ୍ଭେ ତୁମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ, 12ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା। 13ଆଉ ତୁମ୍ଭେମାନେ ଯହିଁରେ ପରିଶ୍ରମ କରି ନାହଁ, ଏପରି ଏକ ଦେଶ ଓ ଯାହା ଯାହା ତୁମ୍ଭେମାନେ ନିର୍ମାଣ କରି ନାହଁ, ଏପରି ନଗରମାନ ଆମ୍ଭେ ତୁମ୍ଭମାନଙ୍କୁ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରୁଅଛ; ତୁମ୍ଭେମାନେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ରୋପଣ ନ କଲ, ତାହା ତୁମ୍ଭେମାନେ ଭୋଗ କରୁଅଛ।’