ମନୋନୀତ କର କାହାର ସେବା କରିବ
14ଏହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର; ଆଉ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ନଦୀ ସେପାରିରେ ଓ ମିସରରେ ଯେଉଁ ଦେବତାମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର; ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କର। 15ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।”
16ଏଥିରେ ଲୋକମାନେ ଉତ୍ତର ଦେଇ କହିଲେ, “ଅନ୍ୟ ଦେବତାମାନଙ୍କ ସେବା କରିବା ନିମନ୍ତେ ଆମ୍ଭେମାନେ ଯେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବୁ, ଏହା ଦୂରେ ଥାଉ। 17ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର, ସେ ଆପେ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶର ଦାସଗୃହରୁ ବାହାର କରି ଆଣିଲେ ଓ ଆମ୍ଭମାନଙ୍କ ଦୃଷ୍ଟିଗୋଚରରେ ଏହିସବୁ ମହା ଚିହ୍ନ ପ୍ରକାଶ କଲେ, ପୁଣି ଯେଉଁ ସକଳ ପଥରେ ଓ ଯେ ଯେ ଗୋଷ୍ଠୀ ଦେଇ ଆମ୍ଭେମାନେ ଆସିଅଛୁ, ସେମାନଙ୍କ ମଧ୍ୟରେ ସେ ଆମ୍ଭମାନଙ୍କୁ ରକ୍ଷା କରିଅଛନ୍ତି। 18ଆହୁରି ସେହି ସଦାପ୍ରଭୁ ଏ ଦେଶ ନିବାସୀ ଇମୋରୀୟ ଆଦି ସବୁ ଗୋଷ୍ଠୀକୁ ଆମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କର ସେବା କରିବୁ, କାରଣ ସେ ଆମ୍ଭମାନଙ୍କର ପରମେଶ୍ୱର।”
19ଏଥିରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ସେବା କରି ପାରିବ ନାହିଁ, କାରଣ ସେ ପବିତ୍ର ପରମେଶ୍ୱର; ସେ (ସ୍ୱଗୌରବ ରକ୍ଷଣରେ) ଉଦ୍ଯୋଗୀ ପରମେଶ୍ୱର; ସେ ତୁମ୍ଭମାନଙ୍କର ଅଧର୍ମ କି ପାପ କ୍ଷମା କରିବେ ନାହିଁ। 20ତୁମ୍ଭେମାନେ ଯେବେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କରିବ, ତେବେ ସେ ତୁମ୍ଭମାନଙ୍କ ପ୍ରତି ଫେରି ଅମଙ୍ଗଳ କରିବେ, ପୁଣି ତୁମ୍ଭମାନଙ୍କର ମଙ୍ଗଳ କରିଥିଲେ ହେଁ ତୁମ୍ଭମାନଙ୍କୁ ସଂହାର କରିବେ।” 21ତହୁଁ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନାହିଁ; ମାତ୍ର ଆମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବା।” 22ତେବେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମ୍ଭେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ।” ତହିଁରେ ସେମାନେ କହିଲେ, “ଆମ୍ଭେମାନେ ସାକ୍ଷୀ।” 23ସେ କହିଲେ, “ତେବେ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି, ସେମାନଙ୍କୁ ଏବେ ବାହାର କରିଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର।” 24ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।” 25ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।
26ଏଥିଉତ୍ତାରେ ଯିହୋଶୂୟ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲେଖିଲେ ଓ ଏକ ବୃହତ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ସ୍ଥାପନ କଲେ। 27ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ଦେଖ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯାହା ଯାହା କହିଲେ, ସେସବୁ କଥା ଏ ଶୁଣିଅଛି; ଏହେତୁ ତୁମ୍ଭେମାନେ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କୁ ଅସ୍ୱୀକାର ନ କର, ଏଥିପାଇଁ ଏ ତୁମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ।” 28ଏଉତ୍ତାରେ ଯିହୋଶୂୟ ଲୋକମାନଙ୍କର ପ୍ରତି ଜଣକୁ ଆପଣା ଆପଣା ଅଧିକାରକୁ ଯିବା ପାଇଁ ବିଦାୟ କଲେ।


