ଗିଲ୍ଗଲ୍ରେ ସୁନ୍ନତ
2ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।” 3ଏଥିରେ ଯିହୋଶୂୟ ଶିଳା-ଛୁରୀମାନ ନିର୍ମାଣ କରି ତ୍ୱକ୍-ପର୍ବତ ନିକଟରେ ଇସ୍ରାଏଲ-ସନ୍ତାନଗଣର ସୁନ୍ନତ କରାଇଲେ। 4ପୁଣି ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି; ମିସରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ, ମିସରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ। 5ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ; ମାତ୍ର ମିସରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନ ଥିଲା। 6ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ, ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ। 7ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କ ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା। 8ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। 9ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିସରର ଦୁର୍ନାମ ଘୁଞ୍ଚାଇଲୁ;” ଏହେତୁ ଆଜିଯାଏ ସେହି ସ୍ଥାନର ନାମ ଗିଲ୍ଗଲ୍ ରହିଲା।


