ମେଷପାଳକ ଓ ସ୍ୱର୍ଗଦୂତଗଣ

8ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ମେଷପଲ ଜଗୁଥିଲେ। 9ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି, ପ୍ରଭୁଙ୍କର ଗୌରବର ଆଲୋକ ସେମାନଙ୍କ ଚାରିଅାଡ଼େ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ।

10ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି, 11କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। 12ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।

13ପୁଣି, ହଠାତ୍‍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,

14“ଊର୍ଦ୍ଧ୍ୱଲୋକରେ ଈଶ୍ବରଙ୍କ ମହିମା,

ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।”

15ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା। 16ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରୀୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।

17ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ, 18ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ। 19କିନ୍ତୁ ମରୀୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ। 20ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ବରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ।

21ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।