ପଥ ପ୍ରସ୍ତୁତକାରୀ ବାପ୍ତିଜକ ଯୋହନ
(ମାଥିଉ 3:1-12; ଲୂକ 3:1-18; ଯୋହନ 1:19-28)
1ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ। 2ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି,
“ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ,
ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
3ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର,
ପ୍ରଭୁଙ୍କ ପଥ ପ୍ରସ୍ତୁତ କର,
ତାହାଙ୍କ ରାଜଦାଣ୍ଡ ସଳଖ କର।”
4ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ। 5ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। 6ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ। 7ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ। 8ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”


