ଉପବାସ ପ୍ରସଙ୍ଗ

(ମାଥିଉ 9:14-17; ଲୂକ 5:33-39)

18ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି? 19ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ। 20କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ। 21କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ। 22ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।”