ଯୀଶୁଙ୍କ ବାର ଶିଷ୍ୟ ମନୋନୟନ

(ମାଥିଉ 10:1-4; ଲୂକ 6:12-16)

13ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ। 14ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, 15ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ। 16ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ। 17ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍‍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ; 18ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ, 19ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।