ବୁଣାଳୀର ଦୃଷ୍ଟାନ୍ତ
(ମାଥିଉ 13:1-9; ଲୂକ 8:4-8)
1ଯୀଶୁ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ। 2ସେତେବେଳେ ସେ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି, ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ! 3“ଦେଖ, ଜଣେ ବୁଣାଳୀ ବୁଣିବାକୁ ବାହାରିଲା। 4ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ। 5ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 6କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା। 7ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ। 8ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।” 9ପୁଣି, ସେ କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”


