ବାପ୍ତିଜକ ଯୋହନଙ୍କ ମୃତ୍ୟୁ
(ମାଥିଉ 14:1-12; ଲୂକ 9:7-9)
14ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି। 15କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲୀୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ। 16କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି। 17ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ। 18କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ। 19ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ; 20କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ। 21ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମ ଦିନରେ ପାତ୍ର-ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ; 22ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା। 23ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା। 24ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ। 25ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ। 26ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ। 27ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା, 28ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା। 29ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ।


