ଯୀଶୁଙ୍କ ଜଳ ଉପରେ ଚାଲିବା
(ମାଥିଉ 14:22-33; ଯୋହନ 6:15-21)
45ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ। 46ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ। 47ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ। 48ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ। 49କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ, 50କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍ବିଗ୍ନ ହୋଇଥିଲେ। ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।” 51ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ, 52କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା।


