ଯାହା ମନୁଷ୍ୟକୁ ଅଶୁଚି କରୁଥାଏ
(ମାଥିଉ 15:10-20)
14ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋʼ କଥା ଶୁଣ ଓ ବୁଝ। 15ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହିସବୁ ତାହାକୁ ଅଶୁଚି କରେ। 16[ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।]” 17ଆଉ ସେ ଲୋକସମୂହଠାରୁ ଗୃହ ମଧ୍ୟକୁ ଆସିଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତଟିର ଭାବ ପଚାରିବାକୁ ଲାଗିଲେ। 18ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ମଧ୍ୟ କଅଣ ସେହିପରି ଅବୋଧ? ଯାହା କିଛି ବାହାରୁ ମନୁଷ୍ୟ ଭିତରେ ପ୍ରବେଶ କରେ, ତାହା ତାହାକୁ ଅଶୁଚି କରିପାରେ ନାହିଁ, 19କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ଶୌଚ ଦ୍ୱାରା ବର୍ହିଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ, ଏହା କଅଣ ବୁଝୁ ନାହଁ?” 20ଆଉ ସେ କହିଲେ, “ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ। 21କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ, 22ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା; 23ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ।”


