ହେରୋଦ ଓ ଫାରୂଶୀଙ୍କର ଖମୀର

(ମାଥିଉ 16:5-12)

14ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା। 15ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।” 16ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି। 17ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ? 18ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ? 19ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ। 20“ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ। 21ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”