ଯୀଶୁ ପଛେ ଅନୁଗମନ କରିବା

(ମାଥିଉ 16:24-28; ଲୂକ 9:23-27)

34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। 35କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। 36ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? 37ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ? 38ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।”