ଯୀଶୁଙ୍କ ରୂପାନ୍ତରଣ
(ମାଥିଉ 17:1-13; ଲୂକ 9:28-36)
1ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ। 2ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ। 3ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ। 4ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ। 5ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। 6କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ। 7ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। 8ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ। 9ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ। 10ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। 11ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି? 12ସେଥିରେ ସେ ସେମାନଙ୍କୁ କହିଲେ, ଏଲୀୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖାଅଛି? 13କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖାଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି।


