ଭୂତଗ୍ରସ୍ତ ବାଳକର ସୁସ୍ଥତା

(ମାଥିଉ 17:14-21; ଲୂକ 9:37-43)

14ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି। 15ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ। 16ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ? 17ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି; 18ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। 19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ। 20ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା। 21ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ; 22ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ। 23ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରିପାରନ୍ତି! ଯିଏ ବିଶ୍ୱାସ କରେ, ତାʼ ପକ୍ଷରେ ସମସ୍ତ ସମ୍ଭବ। 24ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ। 25ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ। 26ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା। 27କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା। 28ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? 29ସେ ସେମାନଙ୍କୁ କହିଲେ, ପ୍ରାର୍ଥନା (ଏବଂ ଉପବାସ) ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।