ସବୁଠାରୁ ଶ୍ରେଷ୍ଠ ସମସ୍ତଙ୍କର ସେବକ
(ମାଥିଉ 18:1-5; ଲୂକ 9:46-48)
33ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ? 34କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ। 35ସେଥିରେ ଯୀଶୁ ଉପବେଶନ କରି ଦ୍ୱାଦଶ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ। 36ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ, 37ଯେ କେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ କେବଳ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।


