ବିଶ୍ୱାସରେ ବିଘ୍ନକାରୀର ଦଣ୍ଡ
(ମାଥିଉ 18:6-9; ଲୂକ 17:1-2)
42ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। 43ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। 44[କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] 45ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। 46[କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] 47ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; 48କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। 49ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ। 50ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।


