ଅନେକଙ୍କୁ ସୁସ୍ଥତା ପ୍ରଦାନ

(ମାଥିଉ 8:14-17; ଲୂକ 4:38-41)

29ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ। 30ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ। 31ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ। 32ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ, 33ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ। 34ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।