ଜଣେ ଧନୀ ଯୁବା
(ମାଥିଉ 19:16-30; ଲୂକ 18:18-30)
17ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଆଣ୍ଠୁପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? 18ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋତେ ଉତ୍ତମ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍ ଈଶ୍ବରଙ୍କ ବିନା ଅନ୍ୟ କେହି ଉତ୍ତମ ନୁହେଁ। 19ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ‘ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।’” 20ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି। 21ଯୀଶୁ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, “ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।” 22କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତ୍ତି ଥିଲା। 23ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବେ!” 24ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ। କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, “ବତ୍ସଗଣ, ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର! 25ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ।” 26ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ? 27ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହା ମନୁଷ୍ୟ ନିମନ୍ତେ ଅସାଧ୍ୟ, କିନ୍ତୁ ଈଶ୍ବରଙ୍କ ନିମନ୍ତେ ନୁହେଁ; କାରଣ ଈଶ୍ବରଙ୍କ ନିମନ୍ତେ ସମସ୍ତ ସାଧ୍ୟ।” 28ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ। 29ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭାଇ କି ଭଉଣୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି, 30ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭାଇ, ଭଉଣୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି, ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ। 31କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ।”


