ଯୀଶୁଙ୍କ ମନ୍ଦିର ପରିଷ୍କାର

(ମାଥିଉ 21:12-17; ଲୂକ 19:45-48; ଯୋହନ 2:13-22)

15ତାହା ପରେ ସେମାନେ ଯିରୂଶାଲମ ସହରକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, 16ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ, 17ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, “ଏହା କଅଣ ଲେଖା ନାହିଁ, ‘ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ?’ କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ଗହ୍ୱର କରିଅଛ।” 18ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରିପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ। 19ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ।