ଯୀଶୁଙ୍କ ଅଧିକାରକୁ ଆହ୍ୱାନ

(ମାଥିଉ 21:23-27; ଲୂକ 20:1-8)

27ପରେ ସେମାନେ ପୁନର୍ବାର ଯିରୂଶାଲମ ସହରକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, 28ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା? 29କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି। 30ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ।” 31ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ? 32ଅବା ମନୁଷ୍ୟଠାରୁ ବୋଲି କଅଣ କହିବା? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ। 33ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”