ଦ୍ରାକ୍ଷାକ୍ଷେତ୍ରରେ ଦୁଷ୍ଟ ଭାଗ ଚାଷୀଙ୍କ ଦୃଷ୍ଟାନ୍ତ
(ମାଥିଉ 21:33-46; ଲୂକ 20:9-19)
1ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ। 2ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ। 3କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ। 4ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ। 5ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ। 6ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ। 7ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ। 8ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ। 9ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। 10ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ,
‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ,
ତାହା କୋଣର ପ୍ରଧାନ ପ୍ରସ୍ତର ହେଲା;
11ପ୍ରଭୁଙ୍କଠାରୁ ଏହା ହେଲା,
ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’”
12ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।


