ସାଦ୍ଦୂକୀଙ୍କ ପୁନରୁତ୍ଥାନର ପ୍ରଶ୍ନ

(ମାଥିଉ 22:23-33; ଲୂକ 20:27-40)

18ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ, 19ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। 20ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; 21ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, 22ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା। 23ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ। 24ଯୀଶୁ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ? 25ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି। 26ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ବର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର? 27ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”