ଯୁଗ ଶେଷର ଲକ୍ଷଣ

(ମାଥିଉ 24:3-14; ଲୂକ 21:7-19)

3ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ, 4ପୁଣି, ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ। 5ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। 6ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। 7ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ। 8କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର। 9କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ। 10ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ। 11ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି। 12ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ; 13ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।”