ମହା ସଙ୍କଟ କାଳ

(ମାଥିଉ 24:15-28; ଲୂକ 21:20-24)

14“କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ୍ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ; 15ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ; 16ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ। 17ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! 18କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। 19କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ବରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ। 20ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି। 21ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ଵା ‘ଦେଖ, ସେଠାରେ,’ କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ। 22ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ। 23କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି।”