ଆଗମନର ଦିନ ଓ ଦଣ୍ଡ ଅଜ୍ଞାତ
(ମାଥିଉ 24:36-44)
32“କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି। 33ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ। 34ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି। 35ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି, 36ଏଥିନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ। 37ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ‘ଜାଗ୍ରତ ଥାଅ।’”


