ବେଥନୀୟାରେ ଯୀଶୁଙ୍କ ଅଭିଷେକ
(ମାଥିଉ 26:6-13; ଯୋହନ 12:1-8)
3ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। 4କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା? 5ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ। 6କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି। 7କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି। 8ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି। 9ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”


