ଶିଷ୍ୟଙ୍କ ସହ ଭୋଜ ପାଳନ
(ମାଥିଉ 26:17-25; ଲୂକ 22:7-14,21-23; ଯୋହନ 13:21-30)
12ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 13ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ; 14ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ? 15ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।” 16ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 17ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ। 18ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 19ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ? 20ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି। 21ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”


