ପିତରଙ୍କ ଯୀଶୁଙ୍କୁ ଅସ୍ୱୀକାର

(ମାଥିଉ 26:69-75; ଲୂକ 22:56-62; ଯୋହନ 18:15-18,25-27)

66ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା, 67ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ। 68କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ; 69ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ। 70କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ। 71କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ। 72ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।