ପୀଲାତଙ୍କ ସମ୍ମୁଖରେ ଯୀଶୁ

(ମାଥିଉ 27:1-2,11-14; ଲୂକ 23:1-5; ଯୋହନ 18:28-38)

1ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍‍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ। 2ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।” 3ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ। 4ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି। 5କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ।