ଯୀଶୁଙ୍କ ପ୍ରାଣଦଣ୍ଡ
(ମାଥିଉ 27:15-26; ଲୂକ 23:13-25; ଯୋହନ 18:39; 19:16)
6ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ। 7ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା। 8ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ। 9ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ଇଚ୍ଛା କରୁଅଛ? ଆମ୍ଭେ କଅଣ ତୁମ୍ଭମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା? 10କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ। 11ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଂ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ। 12କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୁଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କଅଣ କରିବା? 13ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ। 14ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ। 15ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।


